ରାମକୃଷ୍ଣ ପରମହଂସ ଆମ ଦେଶ ଭାରତବର୍ଷର ମହାନ ସନ୍ଥ ଓ ଆଧ୍ୟାତ୍ମିକ ଗୁରୁ। ତାଙ୍କର ‘କଥାମୃତ’, ଚିନ୍ତନ ଓ ଅଧ୍ୟାତ୍ମର ଏକ ଅନୁପମ ସମନ୍ବୟ । କିନ୍ତୁ ଜାଣି ବିସ୍ମିତ ହେବାକୁ ହୁଏ, ଯେ ତାଙ୍କର ବିୟୋଗ ପରେ ହିଁ ତାହା ସଂକଳିତ ହୋଇଥିଲା । ତାହାର ଘନିଷ୍ଠ ସଂପର୍କ ଅଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସହିତ।
ରାମକୃଷ୍ଣ ପରମହଂସଙ୍କର ଜନ୍ମ ୧୮୩୬ ମସିହା ଫେବୃଆରୀ ମାସ ୧୮ ତାରିଖରେ | ସେଦିନର ତିଥି ଥିଲା ଫାଲଗୁନ ଶୁକ୍ଳପକ୍ଷ ଦ୍ବିତୀୟା | କିନ୍ତୁ ତାଙ୍କର ବିୟୋଗ ଘଟିଥିଲା ୧୬ ଅଗଷ୍ଟ ୧୮୮୬, ଶ୍ରାବଣ ପୂର୍ଣ୍ଣମୀ ତିଥିରେ | ତାହାର ପରବର୍ତ୍ତୀ ରଥଯାତ୍ରା ଦିନର କଥା। ସେଦିନ ଶାରଦା ଦେବୀଙ୍କୁ ସାକ୍ଷାତ କରିବାକୁ ଆସିଲେ ଶ୍ରୀରାମକୃଷ୍ଣଙ୍କର ଘନିଷ୍ଠ ଶିଷ୍ୟ ତଥା ଅନୁଗାମୀ ମହେନ୍ଦ୍ରନାଥ । ସେ ‘ମାଷ୍ଟରବାବୁ’ ବା ସଂକ୍ଷେପରେ ‘ମ’ ଭାବରେ ପ୍ରସିଦ୍ଧ | ପ୍ରଣାମ ଓ କୁଶଳ ଜିଜ୍ଞାସା ପରେ ସେ ତାଙ୍କ ଆଗମନର ଅଭିପ୍ରାୟ ନିବେଦନ କଲେ- ‘“ମା', ଆପଣଙ୍କ ପାଖରେ ଅର୍ଜିଟିଏ ଅଛି।” ଶାରଦାଦେବୀ କହିଲେ- “ଆପଣ ତ ନିଜ ଲୋକ; କ'ଣ କହିବେ କହନ୍ତୁ! ମା' ବୋଲି ଡାକିବା ପରେ ଆଉ କି ସଂକୋଚ ବା ଅଛି?” ତାଙ୍କର ଭରସା ପାଇ ମହେନ୍ଦ୍ରନାଥ କହିଲେ, ‘‘ମା’, ଠାକୁର ଯେ ଖାଲି ଯୁଗାବତାର, ତା' ନୁହେଁ ସଂସାରୀ ମଣିଷଙ୍କୁ ସଂସାରର ସହସ୍ର ଜ୍ବାଳାଯନ୍ତ୍ରଣା, ଦୁଃଖକଷ୍ଟ, ଲାଞ୍ଛନା ଭିତରୁ ଉତ୍ତରଣର ପଥ ସେ ଦେଖାଇଛନ୍ତି। ତାଙ୍କର ଜୀବନ ହିଁ ତାଙ୍କର ବାଣୀ । ସେ ବାଣୀ ଗଙ୍ଗାର ଧାର ପରି ସ୍ବଚ୍ଛ, ପବିତ୍ର । ତାହାକୁ ଲିପିବଦ୍ଧ କରିପାରିବା ପରି କ୍ଷମତା ଆମର ନାହିଁ। କିନ୍ତୁ ତାଙ୍କର ମୁଖନିଃସୃତ ଉକ୍ତିରୁ ଯେତେବେଳେ ଯେତିକି ପାରିଛି, ମୁଁ ତାକୁ ଖାତାରେ ଟିପି ରଖିଛି। ଆଉ କିଛି ନୁହେଁ ମା ; ଉତ୍ତରପୁରୁଷ, ଯେଉଁମାନଙ୍କର ତାଙ୍କୁ ଚାକ୍ଷୁଷ କରି ଧନ୍ୟ ହେବାର ସୁଯୋଗ ନାହିଁ, ସେମାନେ ଯେମିତି ତାଙ୍କର ବାଣୀ କର୍ଣ୍ଣଗୋଚର କରି ଧନ୍ୟ ହେବାର ସୁଯୋଗ ପାଇବେ, ଏତିକି ହିଁ ମୋର ଅଭିପ୍ରାୟ ।”
ମହେନ୍ଦ୍ରନାଥଙ୍କର ସେ କଥା ଶୁଣି, ଆନନ୍ଦରେ ଉଚ୍ଛୁସିତା ଶାରଦାଦେବୀ କହିଲେ, “ଯେଉଁ କାମଟି କରିବାର ଅଭିଳାଷ ପୋଷଣ କରିଛନ୍ତି, ସେଥିପାଇଁ ମା’ ସରସ୍ବତୀ ଆପଣଙ୍କୁ କୃପା କରନ୍ତୁ!” ଏବଂ ସେହିଦିନ, ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଦିନ ହିଁ ଆରମ୍ଭ ହୋଇଥିଲା ‘ରାମକୃଷ୍ଣ କଥାମୃତ’ର ସଂକଳନ କାର୍ଯ୍ୟ
Comments
Post a Comment